Home City Bhadrak ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗର ପର୍ଦାଫାଶ: ଭଦ୍ରକ ପୋଲିସର ବଡ଼ ସଫଳତା

ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗର ପର୍ଦାଫାଶ: ଭଦ୍ରକ ପୋଲିସର ବଡ଼ ସଫଳତା

167

ଭଦ୍ରକ (୨ ମାର୍ଚ୍ଚ ୨୦୨୬): ଭଦ୍ରକ ସହର ଓ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଡକାୟତି ଓ ଛିନ୍‌ତାଇ ମାମଲାରେ ୪ ଜଣ ଦୁର୍ଦ୍ଧାନ୍ତ ଲୁଟେରାଙ୍କୁ ଭଦ୍ରକ ଟାଉନ୍ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଏହି ଚାରି ଜଣ ଲୁଟେରାଙ୍କ ମଧ୍ୟରୁ ଦୟା ଦାସ ନାମକ ଦୁର୍ଦ୍ଧାନ୍ତ ଲୁଟେରାଙ୍କ ନାମରେ ହତ୍ୟା, ଡକାୟତି ମାମଲା ରହିଛି । ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ଲୁଟେରାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଯାଜପୁର ଅଞ୍ଚଳର । ଅଭିଯୁକ୍ତ ମାନଙ୍କ ଘରେ ଚଢ଼ାଉ କରାଯାଇ ୧ କିଲୋ ସୁନା ଓ ୪ କିଲୋ ରୂପା ଅଳଙ୍କାର ସହ ୯ଟି ମୋବାଇଲ୍ ଫୋନ୍ ଓ ବିଭିନ୍ନ ରାଜ୍ୟର ବ୍ୟବହୃତ ହେଉଥିବା ଗାଡ଼ିର ୧୫ଟି ଡୁପ୍ଳିକେଟ୍ ନମ୍ବର୍ ପ୍ଲେଟ୍‌କୁ ଜବତ କରାଯାଇଛି । ଏହି ଜବତ ହୋଇଥିବା ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ୧.୫ କୋଟି ହୋଇଥିବା ବେଳେ, ରୂପା ଅଳଙ୍କାରର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ବୋଲି ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି । ଏହି ଅଭିଯୁକ୍ତମାନେ ଭଦ୍ରକ ସମେତ ଯାଜପୁର, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ୍ କରୁଥିଲେ । ତେବେ ଏହି ଅଭିଯୁକ୍ତମାନଙ୍କ ନାମରେ ଆଉ କେଉଁ କେଉଁ ଅଭିଯୋଗ ରହିଛି ସେ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଭଦ୍ରକ ଏସ୍‌ପି ମନୋଜ କୁମାର ରାଉତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।