ଭଦ୍ରକ (୧୧ ଜାନୁଆରୀ ୨୦୨୫): ଶିଳ୍ପୀ ଗୁରୁ ଶ୍ରୀଯୁକ୍ତ ପ୍ରହଲ୍ଲାଦ ପାଣିଙ୍କ ପ୍ରଥମ ବାର୍ଷିକୀ ଉପଲକ୍ଷେ, ତାଙ୍କ ଦ୍ଵାରା ପ୍ରତିଷ୍ଠିତ ‘ନାରାୟଣ ଚନ୍ଦ୍ର କଳା ମନ୍ଦିର – ଗ୍ରାମୀଣ କଳା ସଂଗ୍ରହାଳୟ ଏବଂ ପାଠାଗାର’ର ବାର୍ଷିକ ଉତ୍ସବ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଳାକାର ବିରେନ୍ଦ୍ର ପାଣି, ଏବଂ ଆନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ କଳା ଇତିହାସକାର-କଳାକାର ଡକ୍ଟର ରାଜଶ୍ରୀ ବିଶ୍ୱାଳଙ୍କ ନିର୍ଦ୍ଦେଶନାରେ ଗତ ଜାନୁଆରୀ ୬ ତାରିଖରେ ଆୟୋଜନ କରାଯାଇଥିଲା । ଗୁରୁ ସ୍ୱର୍ଗତ ପାଣି ଜଣେ ଅଦମ୍ୟ ସୃଜନଶୀଳ ମୂର୍ତ୍ତିକାର, ଚିତ୍ରଶିଳ୍ପୀ, କବି, ଲେଖକ, ଆଭ୍ୟନ୍ତରୀଣ ସାଜସଜ୍ଜାକାରୀ ଥିଲେ । ତାଙ୍କର ସୃଜନଶୀଳ ଚିତ୍ର ଓ ମୂର୍ତ୍ତି ସମସାମୟିକ ସାମାଜିକ ବାସ୍ତବତା, ପୌରାଣିକ କାହାଣୀ ତଥା ଇତିହାସ ଦ୍ୱାରା ଗଭୀର ଭାବରେ ଅନୁପ୍ରାଣିତ ଏବଂ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ।
ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲୋକଶିଳ୍ପୀଙ୍କ ହାତ ତିଆରି ଚିତ୍ର କଳା ଓ ମୂର୍ତ୍ତିର ପ୍ରଦର୍ଶନ କରାଯାଇଥିଲା ଏବଂ ନବପିଢ଼ୀଙ୍କ ହୃଦୟରେ କଳା ପାଇଁ ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ କଳାକାର ବିଶ୍ୱରଞ୍ଜନ କରଙ୍କ ଉପସ୍ଥିତିରେ ଗ୍ରାମର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ଗୁରୁ ସ୍ୱର୍ଗତ ପାଣିଙ୍କ କଳା ମାଧ୍ୟମରେ ଏକ ନୂତନ ସମ୍ବେଦନଶୀଳତା ସୃଷ୍ଟି ଓ ଗ୍ରାମର ଉନ୍ନତି ଦିଗରେ ସଦାସର୍ବଦା ପ୍ରଚେଷ୍ଟା ଉପରେ ଏକ ସ୍ମୃତି ଚାରଣ ସଭାର ଆୟୋଜନ ହୋଇଥିଲା । ସେ ନିଜ ଜୀବନ କାଳରେ ଲେଖୁଥିବା ଏକ କବିତା ସଙ୍କଳନ “କାବ୍ୟ ମାଧୁରୀ”ର ଉନ୍ମୋଚନ ମୁଖ୍ୟଅତିଥି ବିଶିଷ୍ଟ ସାହିତ୍ୟିକ ପବିତ୍ର ପାଣିଗ୍ରାହୀ, କବୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ, କବି ବିଭୂତିଭୂଷଣ ପାଣି, କବି ଅଭିଜିତ ନାୟକ, ସାହିତ୍ୟକାର ଅରୁଣ ଖିଲାର, ଗ୍ରାମ୍ୟ କବି ହୃଷୀକେଶ ମହାଳିକ କରିଥିଲେ । ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତି ମଧ୍ୟରେ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, କଥାଚିତ୍ର ନିର୍ଦ୍ଦେଶକ ବରଦା ପ୍ରସନ୍ନ ତ୍ରିପାଠୀ, ଅଭିନେତା ସୁଶୀଲ ପୁହାଣ ଆଦି ଉପସ୍ଥିତ ଥିଲେ ।

Sangram Keshari Senapati is a freelance writer, translator from Odisha, India. He writes columns in different news sites and document Odia literature, folklore, etc.

















