होम City Bhadrak ଅବଧି ୨ବର୍ଷର ୭ବର୍ଷ ପରେ ବି ସରିନି ପ୍ରକଳ୍ପ

ଅବଧି ୨ବର୍ଷର ୭ବର୍ଷ ପରେ ବି ସରିନି ପ୍ରକଳ୍ପ

131

ଭଦ୍ରକ: ଭଦ୍ରକ ଜିଲାର ଲୁଣାଞ୍ଚଳବାସୀଙ୍କୁ ପାନୀୟ ଜଳଯୋଗାଣ ଲାଗି ୭୫୪ କୋଟି ଟଙ୍କା ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ପରିକଳ୍ପନା ଗତ ସରକାର ଅମଳରେ କରାଯାଇଥିଲା । ୨୦୧୯ ଫେବୃଆରୀ ୧୫ ତାରିଖରେ ମେଘା ଇଞ୍ଜିନିରିଙ୍ଗ୍ ପ୍ରାଇଭଟେ ଲିମିଟେଡ ସହିତ ପ୍ରକଳ୍ପ କାର୍ଯ୍ୟକାରିତା ଲାଗି ଚୁକ୍ତିନାମା କରିଥିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ। ୨୦୨୧ ଫେବୃଆରୀ ୧୪ ତାରିଖ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର କଥା। ହେଲେ୨୦୨୬ ଫେବୃଆରୀ ୧୪ ସୁଦ୍ଧା ସରିନି ପ୍ରକଳ୍ପ କାର୍ଯ୍ୟ। ଅର୍ଥାତ ୨ ବର୍ଷ ମଧ୍ୟରେ ସରିବାକୁ ଥିବା ପ୍ରକଳ୍ପ କାର୍ଯ୍ୟ ୭ ବର୍ଷ ପରେ ବି ସରୁନି। ଜିଲାର ଚାନ୍ଦବାଲି, ତିହିଡି, ବାସୁଦେବପୁର ଓ ଧାମନଗର ବ୍ଲକର ଚିହ୍ନଟ ଲୁଣାଞ୍ଚଳର ୫୨୬ଟି ଗାଁର ଅଧିବାସୀଙ୍କ ତୃଷ୍ଣା ମେଣ୍ଟାଇବା ଲାଗି ଉଦ୍ଦିଷ୍ଟ ଥିଲା ଏହି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ। କେନ୍ଦ୍ରାପଡା ଜିଲାର ଖରସ୍ରୋତା ନଦୀରୁ ପାଣି ଉଠାଇ ତାହାକୁ ବିଶୋଧନ କରି ଓଭରହେଡ ଟାଙ୍କି ଜରିଆରେ ଲୁଣାଞ୍ଚଳରେ ଯୋଗାଣ କରିବା ରହିଛି ପ୍ରକଳ୍ପର ଉଦ୍ଦେଶ୍ୟ। ଚାନ୍ଦବାଲି ବ୍ଲକର ୨୬୬ ଟି ଗାଁ, ବାସୁଦେବପୁରର ୧୧୮ଟି, ତିହିଡିର ୧୦୯ଟି ଓ ଧାମନଗରର ୩୩ଟି ଏମିତି ମୋଟ ୫୨୬ ଟି ଗାଁର ୬.୨୫ ଲକ୍ଷ ଲୋକ ଉପକୃତ ହେବେ। ୫ ବର୍ଷ ବିଳମ୍ବରେ ପ୍ରକଳ୍ପ କାର୍ଯ୍ୟ କରୁଥିବା ଠିକାସଂସ୍ଥା କିନ୍ତୁ ପୂର୍ବ ସରକାର ଅମଳରେ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଅନୁଦାନର ୯୦ ପ୍ରତିଶତ ବିଲ କୌଣସି ଉପାୟରେ ନେଇନେବାକୁ ସକ୍ଷମ ହୋଇଥିଲା। ଏଭଳି ଅନିୟମିତା ନେଇ କେତେକ ବିଭାଗୀୟଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହୋଇଥିଲା। ତେବେ କୌଣସି ମତେ ପ୍ରକଳ୍ପ କାର୍ଯ୍ୟ ସାରିବ ବୋଲି ଉକ୍ତ ଠିକାସଂସ୍ଥା ବିଭାଗକୁ ଲିଖିତ ଭାବେ ଅବଗତ କରାଇ ଏବେ ବି ନିର୍ମାଣ କାର୍ଯ୍ୟ ଜାରି ରଖିଛି। ହେଲେ ପ୍ରତିଥର ଉକ୍ତ ସଂସ୍ଥା ନିଜଆଡୁ ଅତିରିକ୍ତ ସମୟ ନେଉଥିଲେ ବି ପ୍ରକଳ୍ପ କାର୍ଯ୍ୟ ସରୁନାହିଁ। ଏପଟେ ଅଡୁଆରେ ପଡି ଠିକାସଂସ୍ଥାକୁ ବାରମ୍ବାର ଏକ୍ସଟେନସନ ଅଫ ଟାଇମ (ଇଓଟି) ମଂଜୁର କରିଚାଲିଛି ବିଭାଗ। ଇତିମଧ୍ୟରେ ପ୍ରକଳ୍ପର ଅଧିକାଂଶ କାର୍ଯ୍ୟ ଶେଷ ହୋଇଥିଲେ ବି ନଦୀ ଉପରେ ପାଇପ ଲାଇନ ବିଛା, ରେଳ ଧାରଣା/ରାସ୍ତା ପାଶ୍ୱର୍ରେ ପାଇପ ଲାଇନ ବିଛାଇବା, ପ୍ରତ୍ୟେକ ହିତାଧିକାରୀଙ୍କ ଘରକୁ ସଂଯୋଗ ଆଦି ଅନେକ କାର୍ଯ୍ୟ ବାକି ଅଛି। ଏସବୁ କାର୍ଯ୍ୟ ସାରିବା ପାଇଁ ବିଭାଗ ପକ୍ଷରୁ ବାରମ୍ବାର ଠିକା ସଂସ୍ଥାକୁ ତାଗିଦ କରାଯାଉଛି। ୯୦ ପ୍ରତିଶତ ଅର୍ଥ ଠିକାସଂସ୍ଥାକୁ ପଇଠ ହୋଇଥିଲେ ବି ସଂସ୍ଥାର ପାଖାପାଖି ୨୦୦ କୋଟି ଟଙ୍କା ଅମାନତ ରାଶି ବିଭାଗ ପାଖରେ ରହିଛି ବୋଲି କହିଛନ୍ତି ଭଦ୍ରକ ଜଳଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ। ବର୍ତମାନ ସୁଦ୍ଧା ୫୨୬ଟି ଗାଁରୁ ୩୩୦ ପାଖାପାଖି ଗ୍ରାମକୁ ପାଇପ ଜଳଯୋଗାଣ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଅଧୀକ୍ଷଣ ଯନ୍ତ୍ରୀ। ମେ’ମାସ ସୁଦ୍ଧା କାର୍ଯ୍ୟ ସାରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଅଧୀକ୍ଷଣ ଯନ୍ତ୍ରୀ।