ବନ୍ତ (୨୯ ଡିସେମ୍ବର ୨୦୨୫): ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ନିଳୋକ ଗ୍ରାମର ଅଭିମନ୍ୟୁ ସେନାପତି ଓ ଶ୍ରୀମତି ଦେଇଙ୍କ ପୁଅ ସଂଗ୍ରାମ କେଶରୀ ସେନାପତିଙ୍କୁ ତାଙ୍କ ଉପନ୍ୟାସ ପାଣ୍ଡୁଲିପି ‘ସିଗାରେଟ୍’ ପାଇଁ ଟାଇମ୍ପାସ୍ ପ୍ରକାଶନ ଦ୍ୱାରା ଆୟୋଜିତ ଉତ୍ସାହିତ୍ୟ କାର୍ଯ୍ୟକ୍ରମରେ ଚଳିତ ବର୍ଷର ପ୍ରଥମା ପୁରସ୍କାର ପ୍ରଦାନ କରାଯାଇଛି । ଗତ ରବିବାର ଦିନ, ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରର ଅଡ଼ିଟୋରିଅମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖ୍ୟାତନାମା କବି ଓ କଥାକାର ଡ. ହିରଣ୍ମୟୀ ମିଶ୍ର ସଂଗ୍ରାମଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଚଳିତ ବର୍ଷ ପାଇଁ ସମୁଦାୟ ୧୨ଜଣ ପ୍ରଥମା ପୁରସ୍କାର ପାଇଥିବାବେଳେ, ସଂଗ୍ରାମ ଏକାକୀ ଉପନ୍ୟାସ ବିଭାଗରେ ଏହି ପୁରସ୍କାର ପାଇଛନ୍ତି ବୋଲି ଆୟୋଜନ ତଥା ଟାଇମ୍ପାସ୍ର ନିର୍ଦ୍ଦେଶକ ସରୋଜ ବଳ କହିଥିଲେ ।
ସୂଚନା ଥାଉକି, ସଂଗ୍ରାମ ପୂର୍ବରୁ ୨୦୨୩ ମସିହାରେ ଗଳ୍ପ ବିଭାଗ ପାଇଁ ଟାଇମ୍ପାସ୍ ଦ୍ୱାରା ଆୟୋଜିତ ଉଦୟରାଗ ସମ୍ମାନ ମଧ୍ୟ ପାଇଥିଲେ । ସେ ୨୦୧୫ ମସିହାରୁ ଗପ ଲେଖାଲେଖି ଆରମ୍ଭ କରିଥିଲେ ଏବଂ ପୂର୍ବରୁ ତାଙ୍କ ରଚିତ ଗପଗୁଡ଼ିକ କିଛି ଜଣାଶୁଣା ଖବରକାଗଜ ତଥା ପତ୍ରପତ୍ରିକାରେ ସ୍ଥାନ ପାଇସାରିଛି । ଏହା ବ୍ୟତୀତ ୨୦୧୮ ମସିହାରୁ ତାଙ୍କ ଦ୍ୱାରା ସମ୍ପାଦିତ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବ ମଧ୍ୟ ନିୟମିତ ଭାବରେ ପ୍ରକାଶିତ ହେଉଛି । ସେ ୨୦୧୪ ମସିହାରୁ ଓଡ଼ିଆ ଉଇକିପିଡ଼ିଆରେ ନିୟମିତ ଭାବରେ ପ୍ରସଙ୍ଗମାନ ଲେଖୁଛନ୍ତି ଏବଂ ଅଦ୍ୟାବଧି ୩,୦୦୦ରୁ ଅଧିକ ଓଡ଼ିଆ ପ୍ରସଙ୍ଗ ଗଢ଼ି ସାରିଥିବାବେଳେ ଉଇକିପିଡ଼ିଆର ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ କାର୍ଯକ୍ରମମାନଙ୍କରେ ମଧ୍ୟ ଯୋଗ ଦେଇଛନ୍ତି ।
ଏ ପୁରସ୍କାର ତଥା ତାଙ୍କ ଗପ ଓ ଉପନ୍ୟାସ ବିଷୟରେ ଅଧିକ ସୂଚନା ଦେଇ ସଂଗ୍ରାମ କହିଥିଲେ, “ପିଲାଦିନେ ଗପ ପଢ଼ିବାକୁ ବହୁତ ଭଲ ଲାଗୁଥିଲା ଏବଂ ୨୦୧୫ ମସିହାରେ ନିଜ ବ୍ଲଗ୍ରେ ଗପ ଲେଖିବା ଆରମ୍ଭ କରିଥିଲି । ସେତେବେଳେ କଲେଜ ମାଗାଜିନ୍ରେ ପ୍ରଥମେ ଗପଗୁଡ଼ିକ ପ୍ରକାଶିତ ହୋଇଥିଲା ଏବଂ ଶେଷ ବର୍ଷରେ କଲେଜ ପତ୍ରିକାର ସମ୍ପାଦକ ଭାବରେ ମଧ୍ୟ କାମ କରିଥିଲି । ଏ ‘ସିଗାରେଟ୍’ ବି ସେହି କଲେଜ ଦିନର ଗପ । କଲେଜ ଡାଏରୀ ଭିତରେ କେଉଁ ହୁଏତ ଅଲୋଡ଼ା ହୋଇ ପଡ଼ିରହିଥିବା ସ୍ମୃତି ପ୍ରଥମେ ଏକ ଗପ ଏବଂ ପରେ ଏକ ଉପନ୍ୟାସ ଭାବରେ ପାଠକମାନଙ୍କ ପାଖକୁ ଆସିବାକୁ ଯାଉଛି । ଧନ୍ୟବାଦ ଜଣାଇବି ସରୋଜ ଭାଇଙ୍କୁ ତଥା ଅନ୍ୟାନ୍ୟ ବିଚାରକମାନଙ୍କୁ, ଏହି କ୍ଷୁଦ୍ର ପ୍ରୟାସଟିକୁ ଯୋଗ୍ୟ ଭାବିବା ପାଇଁ । ଏବଂ ଧନ୍ୟବାଦ ଜଣାଇବି ମୋ ପତ୍ନୀ ଚିରଶ୍ରୀ ଚିନ୍ମୟୀକୁ, ଲେଖା ପଠାଇବା ପୂର୍ବରୁ ଭୁଲ୍ଗୁଡ଼ିକର ସୁଧାର କରିବା ପାଇଁ ।”
ଏହି ବହିଟି ଟାଇମ୍ପାସ୍ ଦ୍ୱାରା ଆୟୋଜିତ ବହିବର୍ଷ କାର୍ଯ୍ୟକ୍ରମରେ ଆସନ୍ତା ଅପ୍ରେଲ ମାସରେ ପ୍ରକାଶିତ ହେବ, ଯାହାକି ଅନ୍ଲାଇନ୍ ସମେତ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେବ ବୋଲି ସରୋଜ ବଳ ସୂଚନା ଦେଇଛନ୍ତି ।

Salandi Samachar is committed to provide authentic news in a fastest way through digital platforms and a fully explained news through the weekly news paper in Odia language. The portal is available in Odia, English, and Hindi languages.

















