Home City Sundargarh ୱାର୍ଲଡ ୱମାନ ଫାଉଣ୍ଡେସନ ଓ ସମରା ଓରାମ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ଏଆଇ ବୁଟ କ୍ୟାମ୍ପ...

ୱାର୍ଲଡ ୱମାନ ଫାଉଣ୍ଡେସନ ଓ ସମରା ଓରାମ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ଏଆଇ ବୁଟ କ୍ୟାମ୍ପ ଆୟୋଜିତ

144

ପାଇଲଟ ପ୍ରକଳ୍ପ ଜରିଆରେ ୧୫୦ ଆଦିବାସୀ ବାଳିକାଙ୍କୁ ତାଲିମ ପ୍ରଦାନ : ଭବିଷ୍ୟତରେ ଏଆଇ କୁଶଳୀ କରି ୧ ନିୟୁତ ଆଦିବାସୀ ମହିଳା ଓ ବାଳିକାଙ୍କୁ ରୋଜଗାରକ୍ଷମ ଓ ସମନ୍ୱିତ ବିକାଶ ଯୋଗ୍ୟ କରିବାର ଲକ୍ଷ୍ୟ ଧାର୍ଯ୍ୟ

ସୁନ୍ଦରଗଡ଼: ସମରା ଓରାମ ଏଜୁକେସନାଲ ଟ୍ରଷ୍ଟର ସହଯୋଗରେ ଆମେରିକାର ୱାର୍ଲଡ ୱମାନ ଫାଉଣ୍ଡେସନ ତରଫରୁ ଏଠାରେ ଆଦିବାସୀ ବାଳିକାମାନଙ୍କ ପାଇଁ ଏକ ଦିନିକିଆ କୃତ୍ରିମ ବୁଦ୍ଧିମତ୍ତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷରେ ପ୍ରଥମଥର ପାଇଁ ଆୟୋଜିତ ଏହି ଧରଣର ବୁଟ କ୍ୟାମ୍ପ ସ୍ୱଳ୍ପ ସୁବିଧା ପ୍ରାପ୍ତ ସମ୍ପ୍ରଦାୟ ନିକଟରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ। ଆଦିବାସୀ ବାଳିକାମାନଙ୍କୁ ବୈଷୟିକ ଜ୍ଞାନ ଉପଲବ୍ଧ କରିବା ଉଦ୍ଦେଶ୍ୟରେ ଅଭିପ୍ରେତ ଏହି ପାଇଲଟ ପ୍ରକଳ୍ପ ଜରିଆରେ ପ୍ରଥମ ଦଫାରେ ୧୫୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବା ଜଣାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର କେନ୍ଦୁଡ଼ିହି ସ୍ଥିତ ସମରା ଓରାମ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ଭବିଷ୍ୟତ ନିଯୁକ୍ତିକୁ ଦୃଷ୍ଟିରେ ରଖି ଅଂଶଗ୍ରହଣକାରୀମାନଙ୍କୁ ବାସ୍ତବଧର୍ମୀ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗୀକରଣ ନେଇ ଡିଜିଟାଲ କୌଶଳ ସମ୍ପର୍କରେ ପ୍ରାଥମିକ ସ୍ତରରେ ଶିକ୍ଷା ପ୍ରଦାନ କରାଯାଇଥିଲା। ବୁଟକ୍ୟାମ୍ପର ସଫଳ ସମାପନ ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ଉଦ୍ୟୋକ୍ତା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ବିଶ୍ୱଭରି ଆଦିବାସୀ ମହିଳା ଓ ବାଳିକାମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବା ନେଇ ୱାର୍ଲଡ ୱମାନ ଫାଉଣ୍ଡେସନର ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ବୁଟ କ୍ୟାମ୍ପ ନିଶ୍ଚିତ ଭାବେ ଏକ ସ୍ୱୟଂ ସମୃଦ୍ଧ, ସର୍ବକୁଶଳୀ ଏବଂ ସଶକ୍ତ ଆଦିବାସୀ ସମାଜ ଗଠନ କରିବାରେ ସହାୟକ ହେବ ବୋଲି ଶ୍ରୀ ଓରାମ ଦୃଢ଼ ଆଶା ପୋଷଣ କରିଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଉଦୀୟମାନ ବୈଷୟିକ ଜ୍ଞାନ କୌଶଳ ସମ୍ପର୍କରେ ପ୍ରଶିକ୍ଷିତ କରାଯିବା ଦ୍ୱାରା ସମନ୍ୱିତ ଓ ସନ୍ତୁଳିତ ବିକାଶ ସମ୍ଭବପର ହେବା ସାଙ୍ଗକୁ ଭାରତର ଡିଜିଟାଲ ରୂପାନ୍ତରଣରେ କୌଣସି ସମ୍ପ୍ରଦାୟ ସାମିଲ ନହୋଇ ପାରିବାର ସମ୍ଭାବନାକୁ ମଧ୍ୟ ଦୂର କରାଯାଇ ପାରିବ ବୋଲି ଶ୍ରୀ ଓରାମ ମତବ୍ୟକ୍ତ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ୱାର୍ଲଡ ୱମାନ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲସଏଞ୍ଜେଲସ ନିବାସୀ ରୂପା ଦାଶ, ପ୍ରତିଭା ସର୍ବାଦୃତ କିନ୍ତୁ ସୁଯୋଗ ସର୍ବବ୍ୟାପ୍ତ ନୁହଁ ବୋଲି ମତ ପ୍ରକାଶ କରିଥିଲେ । ୧୫୦ ଜଣ ଆଦିବାସୀ ବାଳିକାଙ୍କୁ ତାଲିମ ଦେବା କେବଳ ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ, ଏହା ପ୍ରଚଳିତ ବ୍ୟବସ୍ଥାର ପରିବର୍ତ୍ତନ, ଅପାର ସୁଯୋଗ ଭଣ୍ଡାରର ଅନାବରଣ ଏବଂ ଭବିଷ୍ୟତରେ ଏକ ସମତା ସମ୍ପନ୍ନ ସମାଜ ଗଠନ ପାଇଁ ସବୁ ସମ୍ପ୍ରଦାୟର ନାରୀନେତ୍ରୀମାନଙ୍କୁ ପ୍ରସ୍ତୁତ କରିବା ଦିଗରେ ୱାର୍ଲଡ ୱମାନ ଫାଉଣ୍ଡେସନର ପ୍ରତିବଦ୍ଧତାର ଅଂଶ ବିଶେଷ ବୋଲି ଶ୍ରୀମତୀ ଦାଶ ସୂଚାଇଥିଲେ। ଏହି ପାଇଲଟ ପ୍ରକଳ୍ପ ମାଧ୍ୟମରେ ନିକଟ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ କରି ଏକ ନିୟୁତ ଆଦିବାସୀ ମହିଳା ଓ ବାଳିକାଙ୍କୁ ରୋଜଗାରକ୍ଷମ ଏବଂ ସମନ୍ୱିତ ବିକାଶ ଯୋଗ୍ୟ ବନାଯିବାର ଯୋଜନା ରହିଥିବା ରୂପା ପ୍ରକାଶ କରିଥିଲେ। ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଦିଗରେ ଅଟୋମେସନ ଏନିହୋୟାର, ଶ୍ରୀମତୀ ଅନୁ ଓ ନବୀନ ଜୈନଙ୍କ ପରିବାର ଏବଂ ୱାର୍ଲଡ ୱମାନ ଫଣ୍ଡ ସହଯୋଗ କରିଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।