- ୮୨ ବର୍ଷ ବୟସରେ ମଧ୍ୟ କମ୍ପ୍ୟୁଟର ଆଗରେ ବସି ଓଡ଼ିଆରେ ପ୍ରସଙ୍ଗ ଲେଖୁଥିଲେ
- ୧୪ ବର୍ଷରେ ୩୫୦୦ରୁ ଅଧିକ ପ୍ରସଙ୍ଗ ଗଢ଼ିଛନ୍ତି
ଭୁବନେଶ୍ୱର (୧୪ ମାର୍ଚ୍ଚ ୨୦୨୬): ଓଡ଼ିଆ ଉଇକିପିଡ଼ିଆର ପ୍ରମୁଖ ଅବଦାନକାରୀ ଏବଂ ଓଡ଼ିଆ ଭାଷାରେ ଚିକିତ୍ସା ସମ୍ବନ୍ଧୀୟ ପ୍ରସଙ୍ଗ ଅନୁବାଦରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଡା. ସୁବାସ ଚନ୍ଦ୍ର ରାଉତଙ୍କର ମାର୍ଚ୍ଚ ୧୦ ତାରିଖରେ ପରଲୋକ ଘଟିଛି । ଉଇକିମିଡ଼ିଆ ସମୁଦାୟରେ ସେ ନିଜର ସ୍ୱେଚ୍ଛାସେବୀ ଅବଦାନ ପାଇଁ ବେଶ୍ ପରିଚିତ ଥିଲେ ।
କଟକ ସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଡାକ୍ତରୀ ପାଠପଢ଼ା ଶେଷ କରିବା ପରେ, ଡା. ରାଉତ ଅସ୍ଥିଶଲ୍ୟ ବିଭାଗର ଜଣେ ଡାକ୍ତର ଭାବରେ କାମ କରିଥିଲେ ଏବଂ ଜଣେ ଯୁଗ୍ମ ନିର୍ଦ୍ଦେଶକ ଭାବରେ ଅବସର ନେବା ପରେ କିମ୍ସ ମେଡିକାଲ କଲେଜରେ ଜଣେ ସହକାରୀ ପ୍ରାଧ୍ୟାପକ ଭାବରେ ମଧ୍ୟ ଅଧ୍ୟାପନା କରିଥିଲେ । ୨୦୧୨ ମସିହାରେ, ୬୮ ବର୍ଷ ବୟସରେ ସେ ଓଡ଼ିଆ ଉଇକିପିଡ଼ିଆରେ ଅବଦାନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ୧୪ ବର୍ଷ ଧରି ସେ ସକ୍ରିୟ ଭାବେ କାମ କରିଆସିଥିଲେ । ଏହି ସମୟରେ ସେ ଓଡ଼ିଆ ଉଇକିପିଡ଼ିଆରେ ୩୫୦୦ରୁ ଅଧିକ ପ୍ରସଙ୍ଗ ଲେଖିଥିବା ବେଳେ ୧୫୦୦ରୁ ଅଧିକ ପ୍ରସଙ୍ଗ ଚିକିତ୍ସା ସମ୍ବନ୍ଧୀୟ ଅଟେ । ତାଙ୍କ ଅବଦାନ ଯୋଗୁଁ ଓଡ଼ିଆ-ଭାଷାରେ ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଉପଲବ୍ଧ ହେଉଛି ।
ଓଡ଼ିଆ ଉଇକିପିଡ଼ିଆ ବ୍ୟତୀତ ସେ ବିଶ୍ୱବ୍ୟାପୀ ଉଇକିମିଡ଼ିଆ ପରିକଳ୍ପଗୁଡ଼ିକରେ ମଧ୍ୟ ଅବଦାନ କରୁଥିଲେ । ବିଶେଷକରି ୱିକିମେଡ୍ (WikiMed) ପରିକଳ୍ପନାରେ ସେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ, ଯାହା ବିଶ୍ୱର ଭିନ୍ନ ଭିନ୍ନ ଉଇକିପିଡ଼ିଆ ପ୍ରକଳ୍ପରେ ଚିକିତ୍ସା ସମ୍ବନ୍ଧୀୟ ବିଷୟବସ୍ତୁକୁ ସମୃଦ୍ଧ କରିବାରେ କାମ କରେ । ଏହି ପରିକଳ୍ପନାରେ ସେ ଦକ୍ଷିଣ ଏସିଆର ଅଗ୍ରଣୀ ଅବଦାନକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ।
ୱିକିପ୍ରୋଜେକ୍ଟ ମେଡ୍ରେ ତାଙ୍କର ନିରନ୍ତର ଅବଦାନକୁ ସ୍ୱୀକୃତି ଦେଇ ୱିକିମେଡ୍ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ଲଗାତାର ୮ ବର୍ଷ ଧରି “କିଓର୍ ଆୱାର୍ଡ଼” ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିଶ୍ୱର ଶ୍ରେଷ୍ଠ ୨୦୦ ଚିକିତ୍ସା ବିଷୟକ ଅବଦାନକାରୀଙ୍କୁ ପ୍ରଦାନ କରାଯାଏ ।
ଡା. ରାଉତଙ୍କ ପରଲୋକରେ ଓଡ଼ିଆ ଉଇକିମିଡିଆ ସମୁଦାୟ ଗଭୀର ଶୋକ ପ୍ରକାଶ କରିଛି । ଓଡ଼ିଆ ଭାଷାରେ ଡିଜିଟାଲ ଜ୍ଞାନ ଭଣ୍ଡାରକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ସମୁଦାୟର ସଦସ୍ୟମାନେ କହିଛନ୍ତି ।

Sangram Keshari Senapati is a freelance writer, translator from Odisha, India. He writes columns in different news sites and document Odia literature, folklore, etc.

















