होम Uncategorized ଭୁବନେଶ୍ୱରରେ ଉଇକିପିଡ଼ିଆର ୨୫ ବର୍ଷ ପାଳନ

ଭୁବନେଶ୍ୱରରେ ଉଇକିପିଡ଼ିଆର ୨୫ ବର୍ଷ ପାଳନ

26

ଭୁବନେଶ୍ୱର (୧୪ ଜୁଲାଇ ୨୦୨୬): ୨୦୦୧ ମସିହାରୁ ଏକ ମୁକ୍ତ ଜ୍ଞାନକୋଷ ଭାବରେ ଆରମ୍ଭ ହୋଇଥିବା ଉଇକିପିଡ଼ିଆକୁ ୨୦୨୬ ମସିହାରେ, ୨୫ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ୍ ଦ୍ୱାରା ଜାନୁଆରୀ ମାସରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ପାଳନ ହୋଇ ଆସୁଛି । ସେହି କ୍ରମରେ ଗତକାଲି ଭୁବନେଶ୍ୱରର ପଟିଆ ନିକଟସ୍ଥ ଷ୍ଟୁଡିଓ ଏନ୍ଆର୍ ଠାରେ ଏକ ମେଳଣ ଓ ୨୫ ବର୍ଷ ପୂରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଓଡ଼ିଆ ଉଇକିପିଡ଼ିଆର ସକ୍ରିୟ ଉଇକିଆଳି ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ଏହି କାର୍ଯ୍ୟକ୍ରମରେ ଉଇକିପିଡ଼ିଆ ବାବଦରେ ଅବଗତ କରାଇବା ସହିତ ଉଇକିମିଡ଼ିଆ ଫାଉଣ୍ଡେସନ୍‌ର ବିଭିନ୍ନ ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇଥିଲେ । କବି ପତିତପତାବନ ପାଣି, ଆକାଶବାଣୀ କଟକରେ କାର୍ଯ୍ୟରତା ଅନ୍ୟତମ କବି ଶୀତଲ ମିଶ୍ର, ଅଭିଲିପ୍ସା ପାଢ଼ୀ, ପ୍ରଦୀପ ସେଠୀ, ଅମ୍ବିକେଶ ରାଉତ, ଚିରଶ୍ରୀ ଚିନ୍ମୟୀ, ଅବିନାଶ ନାୟକ ଆଦି ଯୋଗ ଦେଇଥିଲେ । ଏହା ବ୍ୟତୀତ ୧୫ରୁ ଉର୍ଦ୍ଧ୍ୱ ସେଚ୍ଛେସେବୀମାନେ ଯୋଗଦେଇ ଉଇକିପିଡ଼ିଆ ସମ୍ବନ୍ଧରେ ଶିଖିଥିଲେ ।

ସୂଚନା ଥାଉକି, ଏହି ୨୫ବର୍ଷ ପୂର୍ତ୍ତି ଅବସରରେ, ପୂର୍ବରୁ ଜାନୁଆରୀ ୧୦ ତାରିଖରେ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଉଇକିପିଡ଼ିଆ ବାବଦରେ ସଚେତନତା ସୃଷ୍ଟି କରାଯିବା ସହିତ ଏକ ଷ୍ଟାଣ୍ଡି ଜରିଆରେ ପ୍ରଚାର କରାଯାଇଥିଲା । ଫେବୃଆରୀ ମାସରେ ଭଦ୍ରକ ମହୋତ୍ସବ ସମୟରେ ଏକ ସେଲ୍‌ଫି ଷ୍ଟାଣ୍ଡ ତିଆରି କରାଯାଇଥିଲା, ଯେଉଁଠାରେ ଭଦ୍ରକ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ସମେତ ୫୦୦ରୁ ଉର୍ଦ୍ଧ୍ୱ ଲୋକମାନେ ଫଟୋ ଉଠାଇଥିଲେ ଏବଂ ମଞ୍ଚରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କେକ୍ କାଟିଥିଲେ ।

ସେହିପରି ମାର୍ଚ୍ଚ ୬ ତାରିଖରେ ପୁରୀ ସ୍ଥିତ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା, ଯେଉଁଠାରେ ମହାବିଦ୍ୟାଳୟର ୪୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଉଇକିପିଡ଼ିଆରେ ସମ୍ପାଦନା ଶିଖିଥିଲେ । ଉଇକିପିଡ଼ିଆ ବାବଦରେ ଅନ୍‌ଲାଇନ୍‌ରେ ପ୍ରଚାର ପ୍ରସାର କରିବା ପାଇଁ, ସଂଗ୍ରାମ କେଶରୀ ସେନାପତି ଅନନ୍ୟା ଡିଜିଟାଲ୍ ଚ୍ୟାନେଲ୍‌ରେ ଏକ ପଡ଼କାଷ୍ଟ କରିଥିଲେ ଏବଂ ସାଳନ୍ଦୀ ସମାଚାର ସାପ୍ତାହିକ ଖବରକାଗଜରେ “୨୫ ବର୍ଷରେ ଉଇକିପିଡ଼ିଆ: ଏଆଇ ଯୁଗରେ ଓଡ଼ିଆ-ଭାଷାର ସ୍ଥାନ” ଶୀର୍ଷକ ଏକ ସମ୍ପାଦକୀୟ ଲେଖା ପ୍ରକାଶିତ ହୋଇଥିଲା ।