ଭଦ୍ରକ: ଦୁଇଟି ପୃଥକ ସାଇବର ଠକେଇ ମାମଲାର ତଦନ୍ତ କରି ଭଦ୍ରକ ପୁଲିସ ୫ ଟି ମ୍ୟୁଲ ଏକାଉଂଟ (ସାଇବର ଅପରାଧୀଙ୍କ ଦ୍ୱାରା ବ୍ୟବହୃତ ବ୍ୟାଙ୍କ ଖାତା) ଠାବ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ଭଦ୍ରକ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନାନୁଯାୟୀ; ବାଲେଶ୍ୱର ଜିଲାର ଖଇରା ଅଂଚଳର ଜନୈକ ଜଗବନ୍ଧୁ କେଶି ଭଦ୍ରକ ଜଗନ୍ନାଥପୁର ଏଡିଏଫସି ବ୍ୟାଙ୍କରେ ‘ଅହଲ୍ୟା ଇଣ୍ଟର ପ୍ରାଇଜେସ ନାମରେ ଏକ ଚଳନ୍ତି ଆକାଉଂଟ (କରେଂଟ ଆକାଉଂଟ) ଖୋଲିଥିଲେ। ଏଥିରେ ପାଖାପାଖି ୧କୋଟି ୫୬ ଲକ୍ଷ ଟଙ୍କାର ସନ୍ଦେହଜନକ କାରବାର ହୋଇଥିଲା। ନିକଟରେ ଉକ୍ତ ବ୍ୟାଙ୍କର ଶାଖା ପରିଚାଳକ ଜାତୀୟ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରୁ ଉକ୍ତ କରେଣ୍ଟ ଆକାଉଂଟ ବାବଦରେ ଅଭିଯୋଗ ପାଇଥିଲେ। ଉକ୍ତ ଏକାଉଣ୍ଟକୁ ଯାଂଚ କରିବା ପରେ ୮ଟି କ୍ରେଡିଟ କାର୍ଡ ଜରିଆରେ ଉକ୍ତ ଆକାଉଣ୍ଟକୁ ୧କୋଟି ୫୦ ଲକ୍ଷ ଟଙ୍କା ଜମା ଆସିଥିବା ଜଣା ପଡିଥିଲା । ସେତକ ଟଙ୍କା ପୁଣି କରେଣ୍ଟ ଏକାଉଂଟ ରୁ ୭୫ ଟି କିସ୍ତିରେ ବିଭିନ୍ନ ଏକାଉଣ୍ଟକୁ ପଠାଯାଇଥିବା ନଜରକୁ ଆସିଥିଲା। ବ୍ୟାଙ୍କ ଶାଖା ପରିଚାଳକ ଦେବାଶୀଷ ପରିଡା ଏ ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା (୬୯୪/୨୫) ରୁଜୁ କରି ଟାଉନ ଥାନା ଆଇଆଇସି ପ୍ରଭାଂଶୁ ସେଖର ମିଶ୍ର ତଦନ୍ତ ଆରମ୍ଭ କରିଥିଲେ। ଜଗନ୍ନାଥ କେଶିଙ୍କୁ ଟାଉନ ପୁଲିସ ଗିରଫ କରିଛି। ସେହିଭଳି ରାଜ୍ୟ ପୁଲିସର ‘ଅପରେସନ କବଚ’ ଆଧାରରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲା ତମାମ ଏଭଳି ମ୍ୟୁଲ ବ୍ୟାଙ୍କ ଆକାଉଂଟ ବାବଦରେ ଖୋଳତାଡ ଚାଲିଛି। ନୋଡାଲ ଅଧିକାରୀ ଭାବେ ଇନିସପେକ୍ଟର ଦୟାନିଧି ଦାଶ ବିଭିନ୍ନ ବ୍ୟାଙ୍କର ମ୍ୟୁଲ ଆକାଉଂଟ ଖୋଳତାଡ କରିବା ପରେ ୪ଟି ସନ୍ଦିଗ୍ଧ ଆକାଉଣ୍ଟ ବାବଦରେ ଟାଉନ ଥାନାରେ ରିପୋର୍ଟ କରିଥିଲେ। ଇନିସପେକ୍ଟର ଶ୍ରୀ ଦାସଙ୍କ ରିପୋର୍ଟ ମୂଳେ ଟାଉନ ଥାନାରେ ଏକ ମାମଲା (ନଂ ୧୭/୨୬) ରଜୁ କରାଯାଇ ୪ ମ୍ୟୁଲ ଆକାଉଂଟ ଧାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମୋଜାଫର ଖାନ, ରଂଜିତ ପଣ୍ଡା, ଦେବାଶୀଷ ନାୟକ, ସତ୍ୟରଞ୍ଜନ ଦାଶ। ଏମାନଙ୍କ ଆକାଉଣ୍ଟରେ ଯଥାକ୍ରମେ ୧୯ ଲକ୍ଷ ୫୦ ହଜାର ଟଙ୍କା, ୨୯ ଲକ୍ଷ ଟଙ୍କା, ୩୯ ଲକ୍ଷ ଟଙ୍କକା ଓ ୯ ଲକ୍ଷ ଟଙ୍କା ଏହିପରି ମୋଟ ୯୬ ଲକ୍ଷ ଟଙ୍କାର ସନ୍ଦିଗ୍ଧ କାରବାର ହୋଇଛି। ଏମାନେ ସମସ୍ତେ ସାବଇର ଜାଲିଆତିରେ ସମ୍ପୃକ୍ତ ବୋଲି ପୁଲିସ ପ୍ରମାଣ ପାଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ୫ଟି ମୋବାଇଲ ଫୋନ, ବିଭିନ୍ନ ବ୍ୟାଙ୍କର ଏଟିଏମ ସହିତ ଆଧାର କାର୍ଡ ଜବତ କରିଛି ପୁଲିସ।

Salandi Samachar is committed to provide authentic news in a fastest way through digital platforms and a fully explained news through the weekly news paper in Odia language. The portal is available in Odia, English, and Hindi languages.

















