ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ଆସନ୍ତା ୪୮ତମ ରଥଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ପର୍ବ ଏବେ ବ୍ୟାପକ ଭାବେ ଚାଲିଥିବା ଲକ୍ଷ୍ୟ କରାଯାଉଛି। ରଥଯାତ୍ରା ଅବସରରେ ଜାତୀୟ ରାଜଧାନୀର ଏହି ପ୍ରମୁଖ ଧାର୍ମିକ ପୀଠସ୍ଥଳୀରେ ପ୍ରାୟ ଦେଢ଼ ଲକ୍ଷ ଭକ୍ତଙ୍କର ସମାଗମ ଘଟିବ ବୋଲି ଆକଳନ କରାଯାଉଛି। ମନ୍ଦିର ପରିଚାଳନା କମିଟି ‘ଶ୍ରୀ ନୀଳାଚଳ ସେବା ସଂଘ’ ଦ୍ୱାରା ଆୟୋଜନ କରାଯାଉଥିବା ଏହି ବାର୍ଷିକ ଧାର୍ମିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ମହାକୁମ୍ଭରେ ରାଜଧାନୀ ନୂଆଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ମାନ୍ୟଗଣ୍ୟ ଓଡ଼ିଆ ଏବଂ ଅଣଓଡ଼ିଆ ଶ୍ରଦ୍ଧାଳୁ ଯୋଗଦେବେ ବୋଲି ଜଣାଯାଇଛି। ସମସ୍ତ ଆୟୋଜନକୁ ଶାନ୍ତି, ଶୃଙ୍ଖଳା ଏବଂ ସକ୍ଷମତାର ସହିତ ସମ୍ପନ୍ନ କରାଯିବା ପାଇଁ ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରୁଥିବା ଦେଖାଯାଉଛି। ଏହି ପବିତ୍ର ପ୍ଲାବନ ପାର୍ବଣ ଉପଲକ୍ଷେ ସମଗ୍ର ମନ୍ଦିରକୁ ଆକର୍ଷକ ରଙ୍ଗରେ ସଜ୍ଜିତ ଓ ନବୀକରଣ କରାଯାଇ ନୂଆ ସ୍ୱରୂପ ପ୍ରଦାନ କରାଯାଉଛି। ଚଳିତ ମାସ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଉତ୍ସବ ପ୍ରକ୍ରିୟାର ଶୁଭାରମ୍ଭ ଘଟିବାକୁ ଯାଉଛି। ଜୁଲାଇ ମାସ ୧୪ ତାରିଖରେ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ତଥା ୧୬ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ୨୪ ତାରିଖରେ ବାହୁଡ଼ା ଯାତ୍ରା, ୨୫ ତାରିଖରେ ସୁନାବେଶ ଏବଂ ୨୭ ତାରିଖରେ ନୀଳାଦ୍ରି ବିଜେ ଆଦି ଦିଅଁ ମାନଙ୍କର ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ବିଧି ମୁତାବକ ସମାପନ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ୧୮ ଫୁଟ ଉଚ୍ଚତା ଏବଂ ୧୦ ଚକା ବିଶିଷ୍ଟ ରଥର ନିର୍ମାଣ ରଥଖଳାରେ ଏବେ ଜୋରସୋରରେ ଚାଲିଥିବା ସେ ଜଣାଇଛନ୍ତି। ସମଗ୍ର ରଥଯାତ୍ରା ଉତ୍ସବକୁ ସୁରୁଖୁରୁରେ ଆୟୋଜନ କରାଯିବା ପାଇଁ ମନ୍ଦିର ତରଫରୁ ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ପ୍ରାୟ ୭୦୦ ଜଣ ସ୍ୱେଚ୍ଛାସେବକ ଦାୟିତ୍ୱ ନିର୍ବାହ କରିବେ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ରଥଯାତ୍ରାର ଟିକିନିଖି ଜୀବନ୍ତ ଧାରା ବିବରଣୀ ଭଗିରଥ ଝା ଓ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା ପ୍ରଦାନ କରିବେ। ଚଳିତ ବର୍ଷର ରଥଯାତ୍ରାରେ ଦିଲ୍ଲୀର ଉପ-ରାଜ୍ୟପାଳ ତରଣଜୀତ ସିଂହ ସାନ୍ଧୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛେରାପହଁରା କାର୍ଯ୍ୟ ତୁଲାଇବେ। ରଥଯାତ୍ରାରୁ ବାହୁଡ଼ା ଯାତ୍ରା ଏବଂ ସୁନା ବେଶ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ମନ୍ଦିର ପରିସରରେ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହେବ। ଏହି ମହୋତ୍ସବରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କର ସୃଜନଶୀଳ ପ୍ରତିଭା ଓ ପାରଦର୍ଶିତାର ଯାଦୁଗରୀ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।ଏହି ଅବସରରେ ନିଜର ଅନନ୍ୟ କଳା ଚାତୁର୍ଯ୍ୟ ପ୍ରଦର୍ଶନ କରିବାକୁ ଯାଉଥିବା ସୁନାମଧନ୍ୟ କଳାକାରମାନଙ୍କ ମଧ୍ୟରେ ବଲିଉଡର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ଗାୟିକା ସୁସ୍ମିତା ଦାସ ଏବଂ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି। ସାଂସ୍କୃତିକ ସମାରୋହରେ ସୁଦକ୍ଷ ଉପସ୍ଥାପିକା ସ୍ୱର୍ଣ୍ଣପ୍ରଭା ପତି ମଞ୍ଚ ପରିଚାଳନା କରିବେ।
Salandi Samachar is committed to provide authentic news in a fastest way through digital platforms and a fully explained news through the weekly news paper in Odia language. The portal is available in Odia, English, and Hindi languages.