ଭଦ୍ରକ: ୧୯୩୬ ମସିହା ଏପ୍ରିଲ ୧ ତାରିଖ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି । ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନ କରିବାର ଗୌରବମୟ ଇତିହାସ । ଏହିଦିନ ଓଡ଼ିଶାକୁ ମିଳିଥିଲା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା । ଭାଷା ଭିତ୍ତିରେ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ । ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀରମୋହନ ସେନାପତି, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ସମେତ ଅନେକ ବରପୁତ୍ରମାନଙ୍କୁ ସ୍ମରଣ କରିବାର ଏହା ଏକ ଅବକାଶ ବୋଲି ୯୦ତମ ଉତ୍କଳ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଛି । ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖା ପକ୍ଷରୁ ଅନାଦି ଦାସଙ୍କ ପୌରହିତ୍ୟରେ ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଡ. ଦୁର୍ଯ୍ୟୋଧନ ଦାସ ଆଜିର ଯୁବପିଢ଼ି ପୂର୍ବ ସୂରୀମାନଙ୍କୁ ବିସ୍ପରଣ କରୁଥିବା ବେଳେ ସେମାନଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ସବୁଦିଗରୁ ପ୍ରୟାସ ଆରମ୍ଭ କରାଯିବା ଉଚିତ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଡ. ମନୀନ୍ଦ୍ର ମହାନ୍ତି ଯୋଗଦେଇ ଓଡ଼ିଶାର ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଓଡ଼ିଆ ଭାଷାଭାଷୀ ଲୋକ ଓ ଓଡ଼ିଶାର ସୀମା ଆଜି ବିପଦରେ ବୋଲି ଉଲ୍ଲେଖ କରି ଏ ଦିଗରେ ସମସ୍ତଙ୍କୁ ସଜାଗ ହେବା ଉଚିତ ବୋଲି କହିଥିଲେ । ବରେଣ୍ୟ ବକ୍ତାଭାବେ ଡ. ପ୍ରଭାତ କୁମାର ମହାନ୍ତି ଯୋଗଦେଇ ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସଂସ୍କୃତି ହିଁ ଉତ୍କଳ ପ୍ରଦେଶର ଏକ ସ୍ୱତନ୍ତ୍ର ପରିଚୟ ବହନ କରିଛି ବୋଲି କହିଥିଲେ । ଅନୁଷ୍ଠାନର ସଂପାଦକ ଅଜୟ ନାୟକଙ୍କ ସଂଚାଳନରେ ଆୟୋଜିତ ଏହି ଉତ୍ସବରେ ପଦ୍ମନ ରାୟ ମଞ୍ଚ ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠନ ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଓ ସହ ସଂପାଦକ ବାବୁଲାଲ ଦାସ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଭଦ୍ରକ ଓକିଲ ସଂଘର ନବନିର୍ବାଚିତ ସଭାପତି ଅରୁଣ କୁମାର ଚାନ୍ଦ ଓ ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୀତାରାଣୀ ଆଇଚ ଓ ସୁରଜିତା ନାୟକ ମାନପାତ୍ର ପାଠ କରିଥିବା ବେଳେ ସଦସ୍ୟ ଚର୍ଚ୍ଚିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଗାନ୍ଧୀବାଳାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା । ପ୍ରାତଃରେ ଭଦ୍ରକ ସହରରେ ଥିବା ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ. ରବୀନ୍ଦ୍ର କୁମାର ନାୟକ, ଡ. ପ୍ରଦୀପ କୁମାର ନାୟକ, ଦିବ୍ୟସିଂହ ନାୟକ, ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଗଦାଧର ବଳ, ଚିନ୍ମୟ ସ୍ୱାଇଁ, ଦେବଦର୍ଶନ ଦାସ, ଲକ୍ଷ୍ମୀକାନ୍ତ ବାରିକ, ଗୋବର୍ଦ୍ଧନ ସାମଲ, ଇନ୍ଦ୍ରମଣି ପଣ୍ଡା, ରବୀନ୍ଦ୍ର ମହାକୁଡ଼, ପବନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Salandi Samachar is committed to provide authentic news in a fastest way through digital platforms and a fully explained news through the weekly news paper in Odia language. The portal is available in Odia, English, and Hindi languages.

















